କୋରାପୁଟ: ପ୍ରସ୍ତାବିତ ନୂତନ ନବରଙ୍ଗପୁର ଡାକ ମଣ୍ଡଳ ଅଧୀନକୁ ଜୟପୁର ସହରକୁ ନେବା ପାଇଁ ହୋଇଥିବା ପ୍ରସ୍ତାବକୁ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ଦୃଢ଼ ବିରୋଧ କରିଛନ୍ତି। ଜୟପୁରକୁ କୋରାପୁଟ ଡାକ ମଣ୍ଡଳ ଅଧୀନରେ ବଜାୟ ରଖିବା ପାଇଁ ସେ କେନ୍ଦ୍ର ସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ସାଂସଦ ଉଲ୍ଲାକା ଅକ୍ଟୋବର ୧୯ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ପ୍ରଶାସନିକ ଦକ୍ଷତା ଏବଂ ଡାକ ସେବାର ସୁଧାର ପାଇଁ ନବରଙ୍ଗପୁରରେ ଏକ ନୂଆ ଡାକ ମଣ୍ଡଳ ଗଠନ ହେବା ସ୍ୱାଗତଯୋଗ୍ୟ। ମାତ୍ର କୋରାପୁଟ ଡାକ ମଣ୍ଡଳରୁ ଜୟପୁରକୁ ଅଲଗା କରି ନବରଙ୍ଗପୁର ଅଧୀନକୁ ନେବା ନିଷ୍ପତ୍ତି କୋରାପୁଟ ଜିଲ୍ଲାର ସାଂଗଠନିକ ଓ ପ୍ରଶାସନିକ ପରିସୀମାକୁ ବିଭାଜିତ କରିବ।
ସେ ସେପ୍ଟେମ୍ବର ୧୪, ୨୦୨୬ରେ ଓଡ଼ିଶା ଡାକ ସର୍କଲର ଚିଫ୍ ପୋଷ୍ଟମାଷ୍ଟର ଜେନେରାଲଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଉଲ୍ଲେଖ କରି କହିଛନ୍ତି ଯେ, ଜୟପୁର ହେଉଛି କୋରାପୁଟ ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟିକ, ଶିକ୍ଷାଗତ ଏବଂ ପ୍ରଶାସନିକ କେନ୍ଦ୍ର। କୋରାପୁଟ ସହ ଜୟପୁରର ଦୀର୍ଘଦିନର ଐତିହାସିକ ଓ ସଂସ୍ଥାଗତ ସମ୍ପର୍କ ରହିଛି। ଏହାକୁ ଅନ୍ୟ ମଣ୍ଡଳକୁ ସ୍ଥାନାନ୍ତର କଲେ ସାଧାରଣ ଜନତା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବେ।
ସାଂସଦ ଉଲ୍ଲାକା ଦର୍ଶାଇଛନ୍ତି ଯେ ତଥ୍ୟ ଅନୁଯାୟୀ ଏହି ପୁନର୍ଗଠନ ଦ୍ୱାରା କୋରାପୁଟ ଡାକ ମଣ୍ଡଳର କାର୍ଯ୍ୟଭାର ୨.୫୪ ରୁ ୧.୨୧ କୁ ହ୍ରାସ ପାଇବ, ଯାହା ଜୟପୁରକୁ ଅଲଗା କରିବା ପାଇଁ ଯଥେଷ୍ଟ ପ୍ରଶାସନିକ କାରଣ ବୋଲି ମନେହୁଏ ନାହିଁ। ତେଣୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଡାକ ବିଭାଗକୁ ପ୍ରସ୍ତାବରେ ସଂଶୋଧନ ଆଣିବାକୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଜୟପୁରକୁ କୋରାପୁଟ ଡାକ ମଣ୍ଡଳରେ କାଏମ ରଖି ନୂଆ ନବରଙ୍ଗପୁର ଡାକ ମଣ୍ଡଳ ଗଠନ ପ୍ରକ୍ରିୟା ଆଗକୁ ବଢ଼ାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।