ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ଅକ୍ଟୋବର ୨୪ ତାରିଖ ଆଖପାଖରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ସିଷ୍ଟମ୍ କେତେ ଶକ୍ତିଶାଳୀ ହେବ ଏବଂ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ, ସେନେଇ ଏବେରୁ ଚର୍ଚ୍ଚା ଆରମ୍ଭ ହୋଇଛି।
ଭାରତୀୟ ପାଣିପାଗ ବିଭାଗର ଅକ୍ଟୋବର ୧୯ ର ଟ୍ରପିକାଲ୍ ୱେଦର ଆଉଟ୍ଲୁକ୍ ଅନୁଯାୟୀ, ଥାଇଲାଣ୍ଡ ଉପକୂଳ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଅକ୍ଟୋବର ୨୧ ସୁଦ୍ଧା ଆଣ୍ଡମାନ ସାଗର ମୁହାଁ ହେବ, ଯାହାର ପ୍ରଭାବରେ ଅକ୍ଟୋବର ୨୪ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଛି।
କିଛି ପାଣିପାଗ ମଡେଲ୍ ଏହା ଏକ ଅବପାତ ବା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରୁଥିବାବେଳେ, ଅନ୍ୟ କେତେକ ମଡେଲ୍ ଏହା ଦୁର୍ବଳ ରହିବ ବୋଲି ସୂଚାଉଛନ୍ତି। ଏହାର ପ୍ରକୃତ ଗତିପଥ ଏବଂ ତୀବ୍ରତାକୁ ନେଇ ଏଯାଏଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।
ବର୍ତ୍ତମାନର ସ୍ଥିତି ଅନୁଯାୟୀ, ଓଡ଼ିଶା ଉପରେ କୌଣସି ଘୂର୍ଣ୍ଣିଝଡ଼ ବା ସାଇକ୍ଲୋନ୍ର ପ୍ରତ୍ୟକ୍ଷ ବିପଦ ନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ଏହା କେଉଁ ଦିଗକୁ ଗତି କରୁଛି ଏବଂ କେତେ ମାତ୍ରାରେ ଶକ୍ତିଶାଳୀ ହେଉଛି, ତାହା ଉପରେ ସବୁକିଛି ନିର୍ଭର କରୁଛି।
ଅକ୍ଟୋବର ୨୪ ରୁ ୨୬ ମଧ୍ୟରେ ପାଣିପାଗ ମଡେଲଗୁଡ଼ିକ ଦ୍ୱାରା ଏହାର ପ୍ରକୃତ ରୂପରେଖ ସ୍ପଷ୍ଟ ହେବ। ତେଣୁ ଲଘୁଚାପ ଗଠନ ହେବା ପରେ ପାଣିପାଗ ବିଭାଗ ପକ୍ଷରୁ ଜାରି ହେବାକୁଥିବା ରିପୋର୍ଟ ହିଁ ଓଡ଼ିଶା ପାଇଁ ଏହାର ପ୍ରଭାବ ସ୍ପଷ୍ଟ କରିବ।