ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟାଇ ନୂଆ ରୂପ ଓ ସାଜସଜ୍ଜା ସହ ପୁନଃଉଦ୍ଘାଟିତ ହୋଇଛି ଓଡ଼ିଶାର ଐତିହାସିକ ‘କଳିଙ୍ଗ ଷ୍ଟୁଡିଓ’ । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗତ ଅକ୍ଟୋବର ୨୦ ଠାରୁ ଏହାକୁ ସାଧାରଣ ଜନତା ଏବଂ ସିନେପ୍ରେମୀଙ୍କ ପାଇଁ ଆନୁଷ୍ଠାନିକ ଭାବେ ଖୋଲାଯାଇଛି । ସାଧାରଣ ପର୍ଯ୍ୟଟକଙ୍କ ସହ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
ପୁନଃନିର୍ମାଣ ପରେ କଳିଙ୍ଗ ଷ୍ଟୁଡିଓରେ ଆଜି ଠାରୁ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ବିବାହ ଡଟ୍ କମ୍’ ର ସୁଟିଂ ଆରମ୍ଭ ହୋଇଛି। ‘ୱାକ୍ସମ୍ୟାନ୍ ଏଣ୍ଟରଟେନ୍ମେଣ୍ଟ’ ବ୍ୟାନରରେ ଅରବିନ୍ଦ ମିଶ୍ରଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଅପୁ କାନୁନ୍ଗୋଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବା ଓଡ଼ିଆ ସିନେ ଜଗତ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
ଷ୍ଟୁଡିଓ ପରିସରକୁ ପ୍ରବେଶ ପାଇଁ ମୂଳ ପ୍ରବେଶ ଶୁଳ୍କ ୨୦ ଟଙ୍କା ରଖାଯାଇଛି। ଏହା ବ୍ୟତୀତ ଷ୍ଟୁଡିଓ ଭିତରେ ଥିବା ତିନୋଟି ମୁଖ୍ୟ ଆକର୍ଷଣ ପାଇଁ ସ୍ୱତନ୍ତ୍ର ଟିକେଟ୍ ବ୍ୟବସ୍ଥା ରହିଛି:
ସ୍ନୋ ପାର୍କ : ୧୫୦ ଟଙ୍କା
ମୁଭି ମ୍ୟାଜିକ୍ : ୧୦୦ ଟଙ୍କା
ଏଡଭେଞ୍ଚର ଲ୍ୟାଣ୍ଡ : ୨୫ ଟଙ୍କା
ଜଣେ ଦର୍ଶକ ପ୍ରବେଶ ଶୁଳ୍କ ସହ ସମସ୍ତ ୩ଟି ଆକର୍ଷଣର ଆନନ୍ଦ ନେବାକୁ ଚାହିଁଲେ ସମୁଦାୟ ୨୯୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ପ୍ରତିଦିନ ଦୁଇଟି ସେସନ୍ରେ (ସକାଳ ୧୦ଟାରୁ ଅପରାହ୍ନ ୧:୩୦ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫:୩୦) ଦର୍ଶକଙ୍କୁ ପ୍ରବେଶ ଅନୁମତି ଦିଆଯାଉଛି। ଦିନକୁ ମୋଟ ୧୪ଟି ସ୍ଲଟ୍ ରହିଛି ଏବଂ ପ୍ରତ୍ୟେକ ସ୍ଲଟ୍ର ଅବଧି ୨୫ ମିନିଟ୍ ରଖାଯାଇଛି।