ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମଙ୍ଗୋଲପୁରୀ ଶିଳ୍ପ ଅଞ୍ଚଳ ପର୍ଯ୍ୟାୟ-୧ ସ୍ଥିତ ଏକ ଜୁତା କାରଖାନାରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।
ଅଗ୍ନିଶମ ବାହିନୀ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯:୩୦ ରୁ ୯:୩୨ ମିନିଟ୍ ସମୟରେ ମଙ୍ଗୋଲପୁରୀସ୍ଥିତ ଏକ ଜୁତା ତିଆରି କାରଖାନାରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ମୋଟ ୨୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ବହୁ ସମୟ ଧରି ଅପରେସନ୍ ଚଳାଇଥିଲେ।
ଅଗ୍ନିଶମ ଅଧିକାରୀ ପରସ୍ କୁମାର କହିଛନ୍ତି ଯେ, କାରଖାନାର ବେସମେଣ୍ଟରୁ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଏହା ଉପର ମହଲାକୁ ବ୍ୟାପିଯାଇଥିଲା। ପ୍ରବଳ ଧୂଆଁ ଯୋଗୁଁ ଲୋକେ ଭିତରେ ଫସି ରହିଥିଲେ। ଉଦ୍ଧାରକାରୀ ଟିମ୍ ତୃତୀୟ ମହଲାର ସିଡ଼ିରୁ ଜଣଙ୍କୁ ଏବଂ ଚତୁର୍ଥ ମହଲାରୁ ଅନ୍ୟ ୫ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତ ୬ ଜଣଙ୍କୁ ତୁରନ୍ତ ମଙ୍ଗୋଲପୁରୀସ୍ଥିତ ସଞ୍ଜୟ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲ୍ କୁ ପଠାଯାଇଥିଲା।
ହସ୍ପିଟାଲ୍ରେ ଡାକ୍ତର ୪ ଜଣଙ୍କୁ ମୃତ ବୋଲି ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବାବେଳେ କୁଲିଂ ଅପରେସନ୍ ଜାରି ରହିଛି। ଅତିରିକ୍ତ ପୋଲିସ କମିଶନର ବିକ୍ରମ ସିଂହ କହିଛନ୍ତି ଯେ, ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ପୋଲିସ ପକ୍ଷରୁ କାରଖାନାର ମାଲିକଙ୍କୁ ସମନ ଜାରି କରାଯାଇଛି। ଏହା ସହିତ କାରଖାନାରେ କେତେ ଜଣ ଶ୍ରମିକ କାମ କରୁଥିଲେ ସେନେଇ ଠିକାଦାର ଏବଂ ଅନ୍ୟ ଶ୍ରମିକମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।