ଓଡ଼ିଶା ଭାସ୍କର ଡେସ୍କ: ଖଣିଜ ସମ୍ପଦ ଓ ଖଣିଜ ଜମି ଉପରେ କର ଲଗାଇବାର ଅଧିକାର ଏବଂ ଏମଏମଡିଆର (MMDR) ସଂଶୋଧନ ବିଲ୍କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ।
ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ରାଜ୍ୟଗୁଡ଼ିକର ନିଜ ଅଞ୍ଚଳରେ ଥିବା ଖଣିଜ ସମ୍ପଦ ଉପରେ ଟିକସ ଆଦି ଆଦାୟ କରିବାର ସମ୍ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ରହିଛି। ଏହି ରାୟ ବଳରେ ଓଡ଼ିଶା ଭଳି ଖଣିଜ ପ୍ରଚୁର ରାଜ୍ୟ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଇବାର ସୁଯୋଗ ପାଇଥାନ୍ତା, ଯାହାକି ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଓ ବିକାଶ ପାଇଁ ବ୍ୟବହାର ହୋଇପାରିଥାନ୍ତା।
ମାତ୍ର ଏମଏମଡିଆର (MMDR) ସଂଶୋଧନ ବିଲ୍ ଜରିଆରେ ରାଜ୍ୟଗୁଡ଼ିକର ଏହି କ୍ଷମତାକୁ ସଙ୍କୁଚିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ବିଲ୍ ପାରିତ ହେବା ସମୟରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନଥିବା ଏବଂ ଏଥିରେ ସାଂସଦମାନଙ୍କ ସମର୍ଥନକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ଖଣି ଖନନ ଯୋଗୁଁ ଓଡ଼ିଶା ପ୍ରଦୂଷଣ, ଜଙ୍ଗଲ କ୍ଷୟ ଏବଂ ପରିବେଶ ସମସ୍ୟାର ସମ୍ମୁଖୀନ ହେଉଥିବାରୁ, ବୈଧ ରାଜସ୍ୱରୁ ରାଜ୍ୟକୁ ବଞ୍ଚିତ ନ କରି ଏହାର ହକ୍ ଓ ସଂଘୀୟ ଢାଞ୍ଚାର ସୁରକ୍ଷା ପାଇଁ ସୁଜାତା ଦାବି କରିଛନ୍ତି।