ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅନ୍ତର୍ଗତ ଯମୁନା ଏକ୍ସପ୍ରେସୱେରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ଟୁରିଷ୍ଟ ସ୍ଲିପର ବସରେ ହଠାତ୍ ଭୀଷଣ ନିଆଁ ଲାଗିଯିବାରୁ ୯ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଏବଂ ଅନେକାଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ବସଟିରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ନୋଏଡାଠାରୁ ପ୍ରାୟ ୩୪ କିଲୋମିଟର ଦୂର ଜେୱାର କାର୍ଗୋ ଏୟାରପୋର୍ଟ ନିକଟରେ ଯମୁନା ଏକ୍ସପ୍ରେସୱେରେ ଯାଉଥିବା ଏହି ବସଟିରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି ସମୟ ଭିତରେ ସମୟ ସମସ୍ତ ବସଟିକୁ ଗ୍ରାସ କରିଥିଲା।
ବସରୁ ବାହାରୁଥିବା ଧାଁଦୌଡ଼ ଓ ଭୟାବହ ଦୃଶ୍ୟ ସମସ୍ତଙ୍କୁ ଆତଙ୍କିତ କରିଦେଇଛି। କିଛି ସଚେତନ ଯାତ୍ରୀ ଜୀବନ ବିକଳରେ ବସରୁ ଡେଇଁ ପଡ଼ି କୌଣସିମତେ ନିଜର ଜୀବନ ରକ୍ଷା କରିଥିବା ବେଳେ ଅନେକ ଭିତରେ ଫସିରହିଥିଲେ।
ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସିଏମଓ (CMO) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏହାସହ ଆହତମାନଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ଯାଇଦେବାକୁ ଏବଂ ମୃତକଙ୍କ ପରିବାରକୁ ସର୍ବପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନ ଓ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।