ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ୍ ଦୁଲାରୀ ଓରଫ୍ ଦୀପକ ଲୋଧିଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏହି ଭିଡିଓରେ ଦୀପକ ଆଶ୍ରମର ଛାତ ଉପରେ ଚିନ୍ତାଗ୍ରସ୍ତ ଅବସ୍ଥାରେ ବୁଲୁଥିବା ଏବଂ ପରେ ହଠାତ୍ ତଳକୁ ଡେଇଁ ପଡ଼ୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଗତ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟରେ ବାରାହଘାଟ ନିକଟ ଗୁରୁକୃପା କୁଞ୍ଜ ଆଶ୍ରମରେ ଏହି ଅଘଟଣ ଘଟିଥିଲା । ଛାତରୁ ଡେଇଁବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ସାଧାରଣତଃ ଜୀବନର ଶାନ୍ତି ଏବଂ ମାନସିକ ଦୁଃଖ ଦୂର କରିବା ପାଇଁ ଦେଶର କୋଣଅନୁକୋଣରୁ ଶହ ଶହ ଭକ୍ତ ପ୍ରେମାନନ୍ଦ ମହାରାଜଙ୍କ ପାଖକୁ ଆସିଥାନ୍ତି । କିନ୍ତୁ ସେହି ଆଶ୍ରମର ଜଣେ ଶିଷ୍ୟ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ, ତାହା ଏବେ ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏହି ଘଟଣା ପରେ ଦୀପକଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ସହ ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ସିସିଟିଭିରେ ସେ ନିଜେ ଛାତରୁ ଡେଇଁଥିବା ଦେଖାଯାଉଥିଲେ ମଧ୍ୟ ଏତେ କମ୍ ବୟସରେ ସେ କାହିଁକି ଏପରି କଲେ, ତାହା ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବୃନ୍ଦାବନ ସର୍କଲର ଡି.ଏସ.ପି. ସନ୍ଦୀପ କୁମାରଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ୁଛି । ତଥାପି ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରିବା ସହ ତାଙ୍କ ମାନସିକ ସ୍ଥିତି ଉପରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି ।
ଅନ୍ୟପଟେ ଦେଖିବାକୁ ଗଲେ ଶିଷ୍ୟଙ୍କ ମୃତ୍ୟୁ ପରେ ବଦଳିଛି ଆଶ୍ରମର ନିୟମ | ଯେଉଁ କେଳିକୁଞ୍ଜ ଆଶ୍ରମରେ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତଙ୍କ ଭିଡ଼ ଜମୁଥିଲା, ଏବେ ସେଠି ଲାଗିଛି ନୂଆ କଟକଣା। ଭକ୍ତଙ୍କୁ ଆଉ ଦର୍ଶନ ଦେବେନି ପ୍ରେମାନନ୍ଦ ମହାରାଜ। ଦର୍ଶନ ପାଇଁ ଆଉ ମିଳିବନି ଟିକେଟ୍। ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ରହିବ ଦର୍ଶନ ବ୍ୟବସ୍ଥା। କେବଳ ଦର୍ଶନ ନୁହେଁ, ଆଶ୍ରମର ଦୀକ୍ଷା ଓ ଶିଷ୍ୟଙ୍କ ପୋଷାକ ନିୟମରେ ମଧ୍ୟ ଆସିଛି ବଡ଼ ପରିବର୍ତ୍ତନ। ହଳଦିଆ ଓ ଧଳା ପୋଷାକ ପିନ୍ଧିବା ଉପରେ ମଧ୍ୟ ଲାଗିଛି ରୋକ। କିଏ କେଉଁ ପୋଷାକ ପିନ୍ଧିବେ, କାହାକୁ ଦର୍ଶନ ମିଳିବ ଏବଂ କେଉଁ ବ୍ୟବସ୍ଥାରେ ଆଶ୍ରମକୁ ପ୍ରବେଶ କରିହେବ ସେସବୁକୁ ନେଇ ନୂଆ ନିୟମ ଆସିଛି।
ଶିଷ୍ୟଙ୍କ ମୃତ୍ୟୁ ଘଟଣା ପରେ ମାତ୍ର କିଛି ଦିନ ମଧ୍ୟରେ ବୃନ୍ଦାବନର କେଳିକୁଞ୍ଜ ଆଶ୍ରମର ଚିତ୍ର ବଦଳିଯାଇଛି। ଦର୍ଶନରୁ ଦୀକ୍ଷା ଓ ଦୀକ୍ଷାରୁ ପୋଷାକ ଏକାଧିକ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି। ତେବେ ଶିଷ୍ୟଙ୍କ ମୃତ୍ୟୁ ପରେ କାହିଁକି ଆଶ୍ରମରେ ଏତେ ବଡ଼ ପରିବର୍ତ୍ତନ କରିବାକୁ ପଡ଼ିଲା ? କ’ଣ ରହିଛି ଏହି ନୂଆ ନିୟମ ପଛର କାରଣ ? ଆଉ କେବେ ଖୋଲିବ ଦର୍ଶନର ଦ୍ୱାର ? ଏବେ ସମସ୍ତଙ୍କ ନଜର ଏହି ଉତ୍ତର ଉପରେ ରହିଛି ।