ନୂଆଦିଲ୍ଲୀ: ସେଣ୍ଟ୍ରାଲ ପୋଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ତଥ୍ୟ ଅନୁଯାୟୀ, ସୋମବାର ସକାଳ ୮ଟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୧୮୭ ରେକର୍ଡ କରାଯାଇଛି, ଯାହା ରାଜଧାନୀକୁ ‘ମଧ୍ୟମ’ ଶ୍ରେଣୀରେ ରଖିଛି। ଯଦିଓ ବାୟୁ ପ୍ରଦୂଷଣରେ ସାମାନ୍ୟ ସୁଧାର ଆସିଛି, ତଥାପି ଅନେକ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଚିନ୍ତାଜନକ ରହିଛି।
କମ୍ ପ୍ରଦୂଷିତ ଅଞ୍ଚଳ: ବୁରାଡ଼ି (୧୨୮), ବଦରପୁର (୧୨୫), ନାଙ୍ଗଲୋଇ (୧୫୦), JNU (୧୫୭) ଏବଂ ମନ୍ଦିର ମାର୍ଗ (୧୬୫)।
ଅଧିକ ପ୍ରଦୂଷିତ ଅଞ୍ଚଳ: ଜାହାଙ୍ଗୀରପୁରୀ (୨୫୧), ଆର.କେ. ପୁରମ୍ (୨୩୩), CRRI ମଥୁରା ରୋଡ୍ (୨୩୧), ପଞ୍ଜାବୀ ବାଗ୍ (୨୨୯), ନରେଲା (୨୨୭), ବିବେକ ବିହାର (୨୪୦) ଏବଂ ଦ୍ୱାରକା ସେକ୍ଟର ୮ (୨୦୭)।
ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ପକ୍ଷରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ର ପ୍ରଥମ ପର୍ଯ୍ୟାୟ ଲାଗୁ କରାଯାଇଛି। ଏହା ଅଧୀନରେ ହୋଟେଲ, ରେଷ୍ଟୁରାଣ୍ଟ ଓ ତନ୍ଦୁରରେ କୋଇଲା/କାଠ ଜାଳିବା ଏବଂ ଡିଜେଲ ଜେନେରେଟର ବ୍ୟବହାର ଉପରେ କଟକଣା ଲଗାଯାଇଛି।
ସେହିପରି ଅନ୍ୟପଟେ, ଦିଲ୍ଲୀର କାଲିନ୍ଦୀ କୁଞ୍ଜ ନିକଟ ଯମୁନା ନଦୀରେ ପୁଣି ଥରେ ମୋଟା ସଫେଦ ବିଷାକ୍ତ ଫେଣ ଭାସୁଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିକଟରେ ୯,୦୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ ସହ ଯମୁନା ସଫେଇର ପ୍ରଶଂସା କରିଥିବା ବେଳେ ଏହି ଚିତ୍ର ପୁଣି ଥରେ ପରିବେଶ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।