ନୂଆଦିଲ୍ଲୀ: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ବିରୋଧ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ‘ପିପଲ୍ ଏଗେନଷ୍ଟ ଏସଆଇଆର’ ମଞ୍ଚ ପକ୍ଷରୁ ଦେଶବ୍ୟାପୀ ବଡ଼ଧରଣର ଆନ୍ଦୋଳନ କରାଯାଉଛି। ଗତ ସପ୍ତାହରେ ଏହି ମଞ୍ଚ ଗଠନ ହେବା ପରେ ଏହା ପ୍ରଥମ ପ୍ରଦର୍ଶନ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ଦିଲ୍ଲୀରେ ପ୍ରଦର୍ଶନ ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଯୋଗଦାନ:ଏହି ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ଦଳର ନେତା, ଗଣସଙ୍ଗଠନ, ଚାଷୀ, ଶ୍ରମିକ, ମହିଳା, ଯୁବ ସଙ୍ଗଠନ ଏବଂ ଛାତ୍ର ସଂଘଗୁଡ଼ିକ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀରେ ହେବାକୁଥିବା ଏହି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନରେ ସିଜେପି ମୁଖ୍ୟ ଅଭିଜିତ ଦିପକେ, ଆଇନଜ୍ଞ ପ୍ରଶାନ୍ତ ଭୂଷଣ, ଚାଷୀ ନେତା ରାକେଶ ଟିକାୟତ, ଅଭିନେତା ପ୍ରକାଶ ରାଜ, ଲେଖକ ତୁଷାର ଗାନ୍ଧୀ ଏବଂ ଛାତ୍ର ନେତାମାନେ ଯୋଗଦେଇଛନ୍ତି। ହାତରେ ତ୍ରିରଙ୍ଗା ପତାକା ଧରି ଗଣତନ୍ତ୍ର ସୁରକ୍ଷା ପାଇଁ ରାଜଧାନୀରେ ଶୋଭାଯାତ୍ରା କରାଯାଉଛି।
ଆନ୍ଦୋଳନ ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ଅନୁମତି ଦିଆଯାଇ ନଥିବାବେଳେ ରାଜଧାନୀରେ ଟେନସନ ଜାରି ରହିଛି। ନୂଆଦିଲ୍ଲୀ ଅଞ୍ଚଳରେ ପୂର୍ବରୁ ଲାଗୁ ହୋଇଥିବା ବିଏନଏସର ଧାରା ୧୬୩ ବଳବତ୍ତର ରହିଛି। ଏହା ଅଧୀନରେ ୫ କିମ୍ବା ତତୋଧିକ ବ୍ୟକ୍ତିଙ୍କ ଏକତ୍ରୀକରଣ ଏବଂ ଶୋଭାଯାତ୍ରା ଉପରେ କଟକଣା ରହିଛି। ଆନ୍ଦୋଳନକାରୀମାନେ ଅନୁମତିର ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରଖିଥିବାବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଏବଂ ସୁରକ୍ଷାବଳ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।