ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନର ଆଭ୍ୟନ୍ତରୀଣ କାର୍ଯ୍ୟଶୈଳୀକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ମନୀଷ ଗର୍ଗଙ୍କ ବିରୋଧରେ ଦୁଇଜଣ ନିର୍ବାଚନ ଆୟୁକ୍ତ ଆଣିଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ୟାବିନେଟ୍ ସଚିବାଳୟ ସିଧାସଳଖ ମନା କରିଦେଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଦଲିଲରୁ ଏହି କଥା ପ୍ରକାଶ ପାଇଛି।
ଗତ ଜୁଲାଇ ୨୯ ତାରିଖରେ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ କ୍ୟାବିନେଟ୍ ସଚିବ ଟି.ଭି. ସୋମନାଥନଙ୍କୁ ପୃଥକ ପୃଥକ ଚିଠି ଲେଖିଥିଲେ। ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ମନୀଷ ଗର୍ଗ କମିଶନ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା ନକରି ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ ପରିବର୍ତ୍ତନ କରିଥିବା ସେମାନେ ଅଭିଯୋଗ କରିଥିଲେ। ଏହି ନିଷ୍ପତ୍ତି ୨୦୨୩ର ନିର୍ବାଚନ ଆୟୁକ୍ତ ଆଇନର ଉଲ୍ଲଂଘନ ବୋଲି ସେମାନେ ଦାବି କରିଥିଲେ।
ଅବସରପ୍ରାପ୍ତ କମୋଡୋର ଲୋକେଶ କେ. ବାତ୍ରାଙ୍କ RTI ଆବେଦନରୁ ଜଣାପଡ଼ିଛି ଯେ, କ୍ୟାବିନେଟ୍ ସଚିବାଳୟ ଏହି ପତ୍ରଗୁଡ଼ିକୁ ଆୟୁକ୍ତମାନଙ୍କ ବ୍ୟକ୍ତିଗତ ପତ୍ର ଭାବେ ଗ୍ରହଣ କରିଛନ୍ତି, ଯାହା ସମ୍ପୂର୍ଣ୍ଣ କମିଶନଙ୍କ ଆନୁଷ୍ଠାନିକ ନିଷ୍ପତ୍ତି ନୁହେଁ। ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ, ଆନୁଷ୍ଠାନିକ ସୁପାରିଶ ବିନା କାର୍ଯ୍ୟପାଳିକାର ହସ୍ତକ୍ଷେପ ସାମ୍ବିଧାନିକ ମର୍ଯ୍ୟାଦାର ବିରୋଧୀ ହେବ ବୋଲି ସଚିବାଳୟ ସ୍ପଷ୍ଟ କରିଛନ୍ତି। ଏହି ପତ୍ରଗୁଡ଼ିକୁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଜାଣିବା ପାଇଁ ପଠାଯାଇଛି।
ପୂର୍ବତନ ନିର୍ବାଚନ ଆୟୁକ୍ତ ଅଶୋକ ଲଭାସା ଏବଂ ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ ପ୍ରଶ୍ନ ଉଠାଇଛନ୍ତି ଯେ, କମିଶନଙ୍କ ଆଭ୍ୟନ୍ତରୀଣ ବୈଠକ କିମ୍ବା ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ନହୋଇ ଦୁଇ ଆୟୁକ୍ତ କାହିଁକି ସିଧାସଳଖ କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖିଲେ। ସେପଟେ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ଗର୍ଗଙ୍କ କାର୍ଯ୍ୟ ବଣ୍ଟନ ଆଦେଶକୁ କାର୍ଯ୍ୟକାରୀ କରାଯାଇ ନାହିଁ।