ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୫ ଜଟଣୀସ୍ଥିତ ଇନଫୋ ଭ୍ୟାଲି-୨ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅତ୍ୟାଧୁନିକ ଗ୍ରୀନ୍ଫିଲ୍ଡ ଡାଟା ସେଣ୍ଟରର ଉଦ୍ଘାଟନ କରିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରକ୍ଷିତ ଏବଂ ଶୃଙ୍ଖଳିତ କରିବା ପାଇଁ ସହରରେ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ୩୦୦ରୁ ଅଧିକ ଅଧିକାରୀଙ୍କୁ ମୁତୟନ କରାଯାଇଛି। ବିମାନବନ୍ଦରରେ ଓହ୍ଲାଇବା ପରେ ସେ ତିନୋଟି ହେଲିକାପ୍ଟର ଯୋଗେ ଇନଫୋ ଭ୍ୟାଲି ଯିବାର କାର୍ଯ୍ୟସୂଚୀ ରହିଛି। ସୁରକ୍ଷା ଦାଇତ୍ୱରେ ୩୭ ଜଣ ଅତିରିକ୍ତ SP ଏବଂ DSP, ୭୧ ଜଣ IIC ଏବଂ ୨୨୩ ଜଣ SI ଓ ASI ନିୟୋଜିତ ଅଛନ୍ତି। SPG ର ଚାରି-ସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଧାନମନ୍ତ୍ରୀ ରହିବେ।
କମିଶନରେଟ୍ ପୁଲିସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ରବିବାର ସନ୍ଧ୍ୟା ୫:୪୦ ରୁ ୬:୪୦ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାଭାଲ୍କାଡ୍ ଯିବାକୁଥିବା ରାସ୍ତାରେ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। RBI ଡାଟା ସେଣ୍ଟର୍, ଇନଫୋଭ୍ୟାଲି ସ୍କୋୟାର୍, ତାଳଖେତା ସ୍କୋୟାର୍, ବାଟଭୂଷୁଣୀ ସ୍କୋୟାର୍, NH-16 ଦେଇ ଜୟଦେବ ବିହାର, ବେହେରା ସାହି ସ୍କୋୟାର୍, ଶାସ୍ତ୍ରୀନଗର, ୧୨୦ ବିଏନ୍ ସ୍କୋୟାର୍, ପାୱାର ହାଉସ୍ ସ୍କୋୟାର୍, ଲୋକ ଭବନ ଗୋଲେଇ, ଏଜି ସ୍କୋୟାର୍, ହସ୍ପିଟାଲ୍ ସ୍କୋୟାର୍, ସୂର୍ଯ୍ୟ କମ୍ପାନୀ ସ୍କୋୟାର୍ ହୋଇ ବିମାନବନ୍ଦର।
ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଏହି ସମୟରେ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଏବଂ ଟ୍ରାଫିକ୍ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।