ପୁରୀ: ଦେଶର ଜଣେ ପ୍ରଖ୍ୟାତ ସ୍ନାୟୁଶଲ୍ୟ ଚିକିତ୍ସକ, ଶିକ୍ଷାବିତ୍ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଆଉ ନାହାନ୍ତି। ମସ୍ତିଷ୍କଜନିତ ସମସ୍ୟା ଓ ଅସୁସ୍ଥତା କାରଣରୁ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ଏବଂ ପରେ ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମରଶରୀର ଭୁବନେଶ୍ୱର ଏମ୍ସରେ ପହଞ୍ଚିବା ପରେ ଚିକିତ୍ସା ଜଗତ ଏବଂ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିଲା।
ଏମ୍ସ କର୍ମଚାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ବିର ଗୋବିନ୍ଦପୁରକୁ ନିଆଯାଇଥିଲା। ସେଠାରେ ପରିବାରବର୍ଗ, ନିଜଜନ ଓ ଶୁଭେଚ୍ଛୁଙ୍କ ଗହଣରେ ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଜଗା-ବଳିଆ ଅସ୍ତ୍ରୋପଚାର ଏବଂ ଜାତୀୟ ଖ୍ୟାତି: ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଡା. ମହାପାତ୍ର ବ୍ରହ୍ମପୁର MKCG ମେଡିକାଲରୁ ଏମ୍ବିବିଏସ୍ ଏବଂ ଦିଲ୍ଲୀ ଏମ୍ସରୁ ଏମ୍ଏସ୍ ଓ ଏମ୍ସିଏଚ୍ (ନ୍ୟୁରୋସର୍ଜରୀ) ଡିଗ୍ରୀ ହାସଲ କରିଥିଲେ। ୧୯୮୩ରୁ ଦିଲ୍ଲୀ ଏମ୍ସରେ ଦୀର୍ଘ ୩୪ ବର୍ଷ ଧରି ସେବା ପ୍ରଦାନ କରିବା ସହ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।
୨୦୧୨ ମସିହାରେ ସେ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରି ଏହାକୁ ସୁଦୃଢ଼ କରିବାରେ ଅମୂଲ୍ୟ ଅବଦାନ ଦେଇଥିଲେ। ସବୁଠାରୁ ବଡ଼ କଥା ହେଲା, ୨୦୧୭ ମସିହାରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅତି ଜଟିଳ ପୃଥକୀକରଣ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପାଦନ କରି ସେ ଦେଶବ୍ୟାପୀ ଅସାଧାରଣ ଖ୍ୟାତି ଅର୍ଜନ କରିଥିଲେ। ଏହି ଐତିହାସିକ ସଫଳତା ୨୦୨୦ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ରେ ମଧ୍ୟ ସ୍ଥାନ ପାଇଥିଲା।
ପରବର୍ତ୍ତୀ ସମୟରେ ସେ ‘ଶିକ୍ଷା ଓ ଅନୁସନ୍ଧାନ’ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ବର୍ତ୍ତମାନ ପ୍ରିନ୍ସିପାଲ୍ ଆଡ୍ଭାଇଜର (ହେଲ୍ଥ ସାଇନ୍ସେସ୍) ଭାବେ କାର୍ଯ୍ୟରତ ଥିଲେ।
ପଦ୍ମଶ୍ରୀ ସମ୍ମାନ ଓ ବହୁମୁଖୀ ପ୍ରତିଭା: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନୁପମ ଅବଦାନ ପାଇଁ ୨୦୨୫ ମସିହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ରେ ଭୂଷିତ କରାଯାଇଥିଲା।
ଜଣେ ଦକ୍ଷ ଡାକ୍ତର ହେବା ସହ ସେ ୮୭୦ଟି ଗବେଷଣା ପ୍ରବନ୍ଧ, ୧୬ଟି ପୁସ୍ତକ ଏବଂ ୧୪୦ରୁ ଅଧିକ ପୁସ୍ତକ ଅଧ୍ୟାୟ ରଚନା କରିଥିଲେ। ଚିକିତ୍ସା ବିଜ୍ଞାନ ସହିତ ଆଧ୍ୟାତ୍ମିକତାର ସମନ୍ୱୟ ରକ୍ଷା କରି ସେ ସମାଜକୁ ସର୍ବଦା ମାନବସେବାର ବାର୍ତ୍ତା ଦେଉଥିଲେ।
ତାଙ୍କର ପରଲୋକରେ ଓଡ଼ିଶା ତଥା ଦେଶର ଚିକିତ୍ସା ଜଗତରେ ଏକ ଅପୂରଣୀୟ କ୍ଷତିଘଟିଛି। ତାଙ୍କର କର୍ମମୟ ଜୀବନ, ନିଷ୍ଠା ଓ ରୋଗୀସେବା ଆଗାମୀ ପିଢ଼ିର ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିବ।