ନୂଆଦିଲ୍ଲୀ: ଡିଜିଟାଲ୍ ଦେୟ ବ୍ୟବସ୍ଥାକୁ ନେଇ ଜାତୀୟ ଦେୟ ନିଗମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଆସନ୍ତା ଅକ୍ଟୋବର ୧୫ ଠାରୁ କିଛି ନିର୍ଦ୍ଦିଷ୍ଟ UPI ଟ୍ରାଞ୍ଜାକ୍ସନ ଉପରେ ମର୍ଚାଣ୍ଡ ଡିସକାଉଣ୍ଟ ରେଟ୍ (MDR) ଲାଗୁ ହେବାର ଥିବାବେଳେ, ବର୍ତ୍ତମାନ ଏହାକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଆଗକୁ ପର୍ବପର୍ବାଣୀ ଥିବାରୁ ବ୍ୟବସାୟୀ ଏବଂ ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା NPCI ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦୀପାବଳି ପରେ ଏହା କେବେଠାରୁ କାର୍ଯ୍ୟକାରୀ ହେବ, ସେନେଇ ପରେ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯିବ।ପୂର୍ବରୁ ହୋଇଥିବା ପ୍ରସ୍ତାବ ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କିଛି ନିର୍ଦ୍ଦିଷ୍ଟ ପର୍ସନ୍-ଟୁ-ମର୍ଚାଣ୍ଡ UPI ଟ୍ରାଞ୍ଜାକ୍ସନ ଉପରେ ୦.୪ ପ୍ରତିଶତ MDR ଲାଗୁ କରାଯିବାର ଥିଲା।
ତେବେ ଧନତେରସ୍ ଏବଂ ଦୀପାବଳି ବଜାରରେ ଡିଜିଟାଲ୍ କ୍ରୟ ବୃଦ୍ଧି ପାଉଥିବାରୁ ଏହି ସମୟରେ ଚାର୍ଜ ଲାଗୁ ହେଲେ ବଜାରରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ପ୍ରସ୍ତାବିତ ୦.୪ ପ୍ରତିଶତ ଶୁଭ କୌଣସି ବି ପରିସ୍ଥିତିରେ ସାଧାରଣ ଗ୍ରାହକଙ୍କଠାରୁ ଆଦାୟ କରାଯିବ ନାହିଁ।
ଏହି ଶୁଳ୍କର ଗୋଟିଏ ବି ପଇସା ସରକାରଙ୍କ ଖାତାକୁ ଯିବ ନାହିଁ, ବରଂ ଏହାକୁ ବ୍ୟାଙ୍କ ଏବଂ ପେମେଣ୍ଟ ଗେଟୱେଗୁଡ଼ିକ ମଧ୍ୟରେ ବଣ୍ଟନ କରାଯିବ। ତେବେ ଏହି ସ୍ଥଗିତାଦେଶ ଫଳରେ ଫିନଟେକ୍ କମ୍ପାନି ଏବଂ ବ୍ୟବସାୟୀମାନେ ବେଶ୍ ଆଶ୍ୱସ୍ତି ଅନୁଭବ କରିଛନ୍ତି।