ନୂଆଦିଲ୍ଲୀ: ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖ ଦିନ ଦେଶବ୍ୟାପୀ ପୋଲିସ ସ୍ମୃତି ଦିବସ ପାଳନ କରାଯାଏ। କର୍ତ୍ତବ୍ୟରତ ଅବସ୍ଥାରେଜୀବନ ବଳିଦାନ ଦେଇଥିବା ଦେଶର ବୀର ପୋଲିସ ଶହୀଦମାନଙ୍କୁ ଚଳିତ ବର୍ଷ ମଧ୍ୟ ସ୍ମରଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ପ୍ରମୁଖ ନେତୃବୃନ୍ଦ ସୋସିଆଲ ମିଡିଆ ମାଧ୍ୟମରେ ପୋଲିସ ବାହିନୀର ସାହସ ଓ ବଳିଦାନକୁ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ‘X’ ରେ ପୋଷ୍ଟ କରି କହିଛନ୍ତି ଯେ, “ପୋଲିସ ସ୍ମୃତି ଦିବସ ହେଉଛି ଆମର ସେହି ପୋଲିସ କର୍ମଚାରୀମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିବାର ଅବସର, ଯେଉଁମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ମଧ୍ୟ ଅନୁଗତ ରହି ଦେଶସେବା କରିଥାଆନ୍ତି। ଆମେ କର୍ତ୍ତବ୍ୟ ପଥରେ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କୁ ସମ୍ମାନ ଜଣାଉଛୁ।”
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ମଧ୍ୟ ପୋଲିସ ଶହୀଦମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ତ୍ୟାଗ ଓ ସାହସକୁ ଦେଶବାସୀ କେବେବି ଭୁଲିବେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି।
୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖର ‘ହଟ୍ ସ୍ପ୍ରିଂସ’ ଠାରେ ଚୀନ୍ ସେନାର ଆକ୍ରମଣରେ ୧୦ ଜଣ ଭାରତୀୟ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ। ସେହି ବୀର ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ଏହି ଦିନକୁ ‘ପୋଲିସ ସ୍ମୃତି ଦିବସ’ ଭାବେ ପାଳନ କରାଯାଉଛି। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ‘ନ୍ୟାସନାଲ୍ ପୋଲିସ ମେମୋରିଆଲ୍’କୁ ଦେଶପ୍ରତି ଉତ୍ସର୍ଗ କରିଥିଲେ।