ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଶୀତ ଋତୁର ଆଗମନ ସହିତ ବାୟୁ ପ୍ରଦୂଷଣ ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ୨୪୦ ଅତିକ୍ରମ କରିବା ପରେ ସହରରେ ଗ୍ରାପ୍-୧ ନିୟମାବଳୀ ଲାଗୁ କରାଯାଇଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏବେ ସରକାର ଏବଂ ବିଭିନ୍ନ ବିଭାଗ ଆକ୍ସନ ମୋଡ଼କୁ ଆସିଛନ୍ତି।
ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ରାଜପଥ ନେଟୱର୍କରେ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। NHAI ସୂଚନା ଅନୁଯାୟୀ, ଦିଲ୍ଲୀ-NCR ର ପ୍ରାୟ ୧୫୭ କିଲୋମିଟର ଲମ୍ବା ରାସ୍ତା ଓ କରିଡରରେ ୯୦୦ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ରାସ୍ତାରେ ଉଡ଼ୁଥିବା ଧୂଳିକୁ ରୋକିବା ପାଇଁ ନିୟମିତ ଭାବେ ପାଣି ସିଞ୍ଚନ କରାଯାଉଥିବାବେଳେ ବିଭିନ୍ନ ସ୍ଥାନରେ ସ୍ମୋକ୍ ଗନ୍ ଲଗାଯାଇଛି। ଏହି ସମସ୍ତ କାର୍ଯ୍ୟ ଉପରେ କଡ଼ା ନଜର ରଖିବା ପାଇଁ ଜିଓ-ଟ୍ୟାଗିଂ ଏବଂ CCTV କ୍ୟାମେରାର ସହାୟତା ନିଆଯାଉଛି।
ଗତ ଏକ ବର୍ଷ ଭିତରେ ଦ୍ୱାରକା ଏକ୍ସପ୍ରେସ୍ୱେ, DND-ସୋହନା କରିଡର ଓ ଦିଲ୍ଲୀ-ଡେରାଡୁନ୍ ହାଇୱେରେ ୯ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି। ଏପରିକି ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଦିଲ୍ଲୀରୁ ବାହାରିଥିବା ୧୩ ଲକ୍ଷ ଟନ୍ରୁ ଅଧିକ ଆବର୍ଜନାକୁ ସଫଳତାର ସହ ବ୍ୟବହାର କରାଯାଇଛି। ଟ୍ରାଫିକ୍ ଜାମ୍ ଓ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗ ପାଇଁ ଲୋକଙ୍କୁ ‘ଗ୍ରୀନ୍ ଦିଲ୍ଲୀ ଆପ୍’ ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି।
ଅନ୍ୟପଟେ, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ର ବୈଠକରେ ପଞ୍ଜାବ ଓ ହରିୟାଣାରେ ନଡ଼ା ଜାଳିବା ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି। ଏହାକୁ ରୋକିବା ପାଇଁ ଡ୍ରୋନ୍ ମାଧ୍ୟମରେ ନଜର ରଖିବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଭୟ ରାଜ୍ୟକୁ କୁହାଯାଇଛି।