ଭୁବନେଶ୍ୱର/ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଧୀରେ ଧୀରେ ଅଧିକ ସଂଗଠିତ ଏବଂ ଶକ୍ତିଶାଳୀ ହେବାରେ ଲାଗିଛି। ଉପଗ୍ରହ ଚିତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ବାତ୍ୟାର କେନ୍ଦ୍ରଭାଗରେ ଏକ ସ୍ପଷ୍ଟ ‘ଆଖି’ ସୃଷ୍ଟି ହୋଇଛି, ଯାହା ଏହା ଅଧିକ ଘନୀଭୂତ ହେଉଥିବାର ସଙ୍କେତ ଦେଉଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଗଭୀର ଅବପାତରୁ ବାତ୍ୟାରେ ପରିଣତ ହୋଇଥିବା ‘ଅର୍ଣ୍ଣବ’ ସୋମବାର ମଧ୍ୟରାତ୍ରି ସୁଦ୍ଧା ‘ଭୀଷଣ ସାମୁଦ୍ରିକ ଝଡ଼’ ଏବଂ ମଙ୍ଗଳବାର ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ‘ଅତି ଭୀଷଣ ସାମୁଦ୍ରିକ ଝଡ଼’ର ରୂପ ନେବ।
ଏହି ବାତ୍ୟାଟି ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ଅକ୍ଟୋବର ୨୮ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ବାପଟ୍ଟଲା ଏବଂ ବିଶାଖାପାଟଣା (ୟାନାମ ଉପକୂଳ) ମଧ୍ୟରେ ସ୍ଥଳଭାଗ ଛୁଇଁବ।
ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ଲଗାଣ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିମି ରହିବା ସହ ଝଟକା ପବନ ୧୪୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ବାତ୍ୟା ସ୍ଥଳଭାଗର ନିକଟତର ହେଉଥିବାରୁ ଆନ୍ଧ୍ରପ୍ରଦେଶ ସହ ସୀମାନ୍ତ ଓଡ଼ିଶାର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଏବଂ ଝଡ଼ପବନର ଆଶଙ୍କା ରହିଛି। ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରଶାସନ ପକ୍ଷରୁ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଛି।