ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ପଦବୀରେ କାର୍ଯ୍ୟରତ ବରିଷ୍ଠ ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ସିଂହ ନିଜ ଗୃହ କ୍ୟାଡ଼ର୍ ବିହାରକୁ ଅନ୍ତଃ-କ୍ୟାଡ଼ର୍ ଡେପୁଟେସନ୍ ରେ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅକ୍ଟୋବର ୨୨ ତାରିଖରେ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ତାଙ୍କର ସାଧୁତା ରିପୋର୍ଟ ମଗାଯାଇଛି।
୧୯୯୭ ବ୍ୟାଚ୍ର ଏହି ଆଇଏଏସ୍ ଅଧିକାରୀ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଏବଂ ସାଧାରଣ ବଣ୍ଟନ ଓ ଗ୍ରାହକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି।
ମୂଳତଃ ବିହାରର ବାସିନ୍ଦା ସଞ୍ଜୟ ସିଂହ ପୂର୍ବରୁ ଫେବୃଆରୀ ୨୦୦୮ ରୁ ଫେବୃଆରୀ ୨୦୧୫ ପର୍ଯ୍ୟନ୍ତ ପ୍ରାୟ ୭ ବର୍ଷ ବିହାରରେ ଡେପୁଟେସନ୍ରେ କାର୍ଯ୍ୟ କରିସାରିଛନ୍ତି। ଏହି ସମୟରେ ସେ ପାଟଣା ଓ ଗୟାର ଜିଲ୍ଲାପାଳ, ଗୃହ ବିଭାଗର ଅତିରିକ୍ତ ସଚିବ ଏବଂ ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିଶେଷ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ।
ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ହାସଲ କରିଥିବା ସଞ୍ଜୟ ସିଂହ ଓଡ଼ିଶାରେ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ, ଭୁବନେଶ୍ୱର ମହାନଗର ନିଗମର କମିଶନର, BDA ର ଉପାଧ୍ୟକ୍ଷ ଏବଂ ଇଡ୍କୋର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି।
କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ସାଧୁତା ରିପୋର୍ଟ ପ୍ରଦାନ କରିବା ପରେ ତାଙ୍କ ବିହାର ବଦଳି ନେଇ ଚୂଡ଼ାନ୍ତ ଆନୁଷ୍ଠାନିକ ଘୋଷଣା କରାଯିବ।