ଭୁବନେଶ୍ୱର: ବଙ୍ଗୋପସାଗରରେ ଭୀଷଣ ରୂପ ଧାରଣ କରିଥିବା ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଦ୍ରୁତ ଗତିରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରି ଏହା ଓଡ଼ିଶାର ଗୋପାଳପୁରରୁ ୩୮୦ କିମି ଦକ୍ଷିଣରେ, ବିଶାଖାପାଟଣାରୁ ୩୦୦ କିମି ଏବଂ କାକିନାଡ଼ାରୁ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ବାପଟ୍ଟଲା ଏବଂ ବିଶାଖାପାଟଣା (ୟାନାମ ନିକଟସ୍ଥ) ମଧ୍ୟରେ ସ୍ଥଳଭାଗ ଛୁଇଁବ। ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୩୫-୧୪୫ କିମିରୁ ବୃଦ୍ଧି ପାଇ ୧୬୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ସ୍ଥଳଭାଗ ଛୁଇଁବା ସମୟରେ ଲଗାଣ ପବନ ୧୧୫-୧୨୫ କିମି ଓ ଝଟକା ପବନ ୧୪୦-୧୫୦ କିମି ରହିବ।
ବାତ୍ୟାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଆଦି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଏବଂ ଝଡ଼ପବନ ଆଶଙ୍କା ରହିଛି। ସୁରକ୍ଷା ଦୃଷ୍ଟିରୁ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅକ୍ଟୋବର ୨୭ ରୁ ୨୯ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି।
ସାଉଥ୍ କୋଷ୍ଟ ରେଳବାଇ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ବିଶାଖାପାଟଣା, କୋରାପୁଟ ଏବଂ କିରଣ୍ଡୁଲ୍ ରୁଟ୍ରେ ଚାଲୁଥିବା କେତେକ ପ୍ରମୁଖ ଟ୍ରେନ୍ ବାତିଲ ଓ ସଂକ୍ଷିପ୍ତ କରାଯାଇଛି:
ବିଶାଖାପାଟଣା-କିରଣ୍ଡୁଲ ନାଇଟ୍ ଏକ୍ସପ୍ରେସ (18515/18516): ଅକ୍ଟୋବର ୨୯ ରୁ ନଭେମ୍ବର ୪ ପର୍ଯ୍ୟନ୍ତ ବାତିଲ।
ବିଶାଖାପାଟଣା-କୋରାପୁଟ ପାସେଞ୍ଜର (58538/58537): ଅକ୍ଟୋବର ୨୭ ରୁ ୩୧ ପର୍ଯ୍ୟନ୍ତ ବାତିଲ।
ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ (18447/18448): ଅକ୍ଟୋବର ୨୭ ରୁ ୩୧ ପର୍ଯ୍ୟନ୍ତ ରାୟଗଡ଼ା ପର୍ଯ୍ୟନ୍ତ ଚାଲିବ, ସେଠାରୁ ନୂଆ ଯାତ୍ରା ଆରମ୍ଭ କରିବ।