ଚେନ୍ନାଇ: ତାମିଲନାଡୁର ଥେନି ଜିଲ୍ଲା ଆଣ୍ଡିପଟ୍ଟି ନିକଟସ୍ଥ ଥେକ୍କମପଟ୍ଟି ଜିଲ୍ଲା ଜେଲ୍ରେ ଏକ ଚିନ୍ତାଜନକଲ ଘଟଣା ସାମ୍ନାକୁ ଆସିଛି। ସୋମବାର ରାତିରେ ଜେଲ୍ ସୁରକ୍ଷାକର୍ମୀଙ୍କୁ ଚତୁରତାର ସହ ଚକମା ଦେଇ ଏବଂ ସେମାନଙ୍କ ଉପରେ ଆକ୍ରମଣ କରି ୧୭ ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ମଙ୍ଗଳବାର ସକାଳ ସୁଦ୍ଧା ପୋଲିସ ୪ ଜଣ ଫେରାର କଏଦୀଙ୍କୁ ପୁଣି ଗିରଫ କରିଥିବା ବେଳେ ବାକି ୧୩ ଜଣଙ୍କୁ ଧରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ପ୍ରାରମ୍ଭିକ ତଦନ୍ତରୁ ପ୍ରକାଶ ଯେ, ଜଣେ କଏଦୀ ହଠାତ୍ ସାଂଘାତିକ ବାତ ମାରୁଥିବା ଭଳି ନାଟକ କରିଥିଲା। ଏହା ଦେଖି ପ୍ରାଥମିକ ଚିକିତ୍ସା ଯୋଗାଇବା ପାଇଁ ସୁରକ୍ଷାକର୍ମୀମାନେ ଜେଲ୍ କୋଠରୀ ଭିତରକୁ ପଶିବା ମାତ୍ରେ ଅନ୍ୟ କଏଦୀମାନେ ସେମାନଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଆହାତ କରି ସମସ୍ତ ୧୭ ଜଣ କଏଦୀ ଜେଲ୍ରୁ ଚମ୍ପଟ ମାରିଥିଲେ। ଆହାତ ୱାର୍ଡ଼ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ସାଉଥ୍ ଜୋନ୍ ଆଇଜି ବିଜୟେନ୍ଦ୍ର ବିଦାରୀ ଏବଂ ଥେନି ଏସ୍ପି ପ୍ରବୀଣ ଗୌତମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଫେରାର କଏଦୀମାନଙ୍କୁ ଧରିବା ପାଇଁ ୧୭ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି।
ଜେଲ୍ ନିକଟସ୍ଥ ଜଙ୍ଗଲରୁ ପ୍ରଥମେ ପ୍ରବୀଣ ନାମକ କଏଦୀକୁ ଗିରଫ କରାଯାଇଥିଲା। ପରେ ସିଲମ୍ବରସନ୍, ରାଜକୁମାର ଏବଂ ରାଜା ସିକନ୍ଦର ନାମକ ଅନ୍ୟ ୩ ଜଣ କଏଦୀଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି।
ସ୍ନିଫର ଡଗ୍ ଏବଂ ଜିଲ୍ଲାର ସମସ୍ତ ଚେକ୍ପୋଷ୍ଟରେ ଗାଡ଼ିମୋଟର କଡ଼ା ଚେକିଂ କରାଯାଉଛି। ଫେରାର ହୋଇଥିବା କଏଦୀଙ୍କ ମଧ୍ୟରୁ ଅଧିକାଂଶ ମଦୁରାଇ ଜିଲ୍ଲାର ହୋଇଥିବା ବେଳେ ୩ ଜଣଙ୍କ ବିରୋଧରେ ଗୁଣ୍ଡା ଆକ୍ଟ ଅଧୀନରେ ମାମଲା ରହିଥିଲା। ଏହି ଘଟଣା ଜେଲ୍ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।