ଭୁବନେଶ୍ୱର: ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ଅନେକ ରହସ୍ୟ ଓ ବିପଦ ଲୁଚି ରହିଥାଏ। ଆପଣ କେବେ ଏପରି ଏକ ଗଛ କଳ୍ପନା କରିଛନ୍ତି କି, ଯାହାର ପତ୍ର ସବୁଜ, ଫୁଲ ଧଳା ଏବଂ ଫଳ ଦେଖିବାକୁ ଠିକ୍ ଆମ୍ବ ପରି, କିନ୍ତୁ ତାହା ମଣିଷ ଜୀବନ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିପାରେ? ହଁ, ଏପରି ଏକ ଗଛ ରହିଛି ଯାହାକୁ ‘ସୁଇସାଇଡ୍ ଟ୍ରି’ (Suicide Tree) ବା ଆତ୍ମହତ୍ୟା ଗଛ କୁହାଯାଏ।
ଏହି ଗଛର ପ୍ରକୃତ ନାମ ଓଥାଲାଙ୍ଗା (Othalanga) ଏବଂ ବୈଜ୍ଞାନିକ ନାମ Cerbera odollam ଅଟେ। ଇଂରାଜୀରେ ଏହାକୁ ‘ସି ମ୍ୟାଙ୍ଗୋ’ (Sea Mango) ବା ସମୁଦ୍ର ଆମ୍ବ ମଧ୍ୟ କୁହାଯାଏ। ଏହା ମୁଖ୍ୟତଃ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଦେଖିବାକୁ ମିଳେ। ଭାରତର କେରଳ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଜଳାଭୂମି ନିକଟରେ ଏହି ଗଛ ବେଶ୍ ଦେଖିବାକୁ ମିଳେ। ଏହାର ସୁନ୍ଦର ରୂପ ଦେଖି କେହି ମଧ୍ୟ ଧୋକା ଖାଇପାରନ୍ତି, କିନ୍ତୁ ଏହାର ଫଳ ଖାଇବା ଅତ୍ୟନ୍ତ ବିପଜ୍ଜନକ।
ଏହି ଗଛର ଫଳ ଓ ମଞ୍ଜିରେ ‘ସେରବେରିନ୍’ ନାମକ ଏକ ଅତ୍ୟନ୍ତ ବିଷାକ୍ତ ପଦାର୍ଥ ଥାଏ। ଏହା କାର୍ଡିଆକ୍ ଗ୍ଲାଇକୋସାଇଡ୍ ଗୋଷ୍ଠୀର ଏକ ଯୌଗିକ, ଯାହା ଶରୀରର କୋଷଗୁଡ଼ିକରେ ସୋଡିୟମ୍ ଏବଂ ପୋଟାସିୟମ୍ର ସନ୍ତୁଳନକୁ ବିଗାଡ଼ି ଦେଇଥାଏ। ଏହା ସିଧାସଳଖ ହୃଦୟର ବୈଦ୍ୟୁତିକ କାର୍ଯ୍ୟକଳାପକୁ ପ୍ରଭାବିତ କରି ହୃଦସ୍ପନ୍ଦନକୁ ଅନିୟମିତ କରିଦିଏ ଏବଂ ଗୁରୁତର ପରିସ୍ଥିତିରେ ଜୀବନ ପ୍ରତି ବିପଦ ଘଟାଇଥାଏ।
ଅତୀତରେ ଏହି ଗଛର ବିଷାକ୍ତ ମଞ୍ଜିକୁ ବ୍ୟବହାର କରି ଅନେକ ବିଷକ୍ରିୟା ଏବଂ ମୃତ୍ୟୁର ଘଟଣା ସାମ୍ନାକୁ ଆସିଛି, ବିଶେଷକରି କେରଳରେ ଫୋରେନସିକ୍ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ତେଣୁ ଏହାର ଭୟବହତାରୁ ଏହାକୁ ‘ସୁଇସାଇଡ୍ ଟ୍ରି’ ନାମରେ ନାମିତ କରାଯାଇଛି। ବିଶେଷଜ୍ଞଙ୍କ ମତରେ, ଅଜଣା ଗଛର ଫଳକୁ କେବେ ମଧ୍ୟ ଖାଇବା ଉଚିତ୍ ନୁହେଁ ଏବଂ ପିଲାମାନଙ୍କୁ ଏପରି ବିପଜ୍ଜନକ ଗଛଠାରୁ ଦୂରେଇ ରଖିବା ଜରୁରୀ।