କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଲିସ ଏବଂ ଦୁର୍ଦ୍ଦାନ୍ତ ଅପରାଧୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଘଟିଛି। ନନ୍ଦିପଦା ଥାନା ପୁଲିସର ଏନ୍କାଉଣ୍ଟରରେ ୨୦ରୁ ଅଧିକ ସଙ୍ଗିନ୍ ଅପରାଧିକ ମାମଲାରେ ପଦାନ୍ତର ଥିବା କୁଖ୍ୟାତ ଅପରାଧୀ ଅର୍ଜୁନ ପ୍ରଧାନ ଗୁଳିବଦ୍ଧ ହୋଇ ଧରାପଡ଼ିଛି। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ବିହାର ଓ ଝାଡ଼ଖଣ୍ଡରେ ତାର ନାଁରେ ଏକାଧିକ ମାମଲା ରହିଛି।
ନନ୍ଦିପଦା ଥାନା ଅନ୍ତର୍ଗତ ଛେନାପଦୀ ନିକଟସ୍ଥ ଅସିଆ ଗ୍ରାମରେ ଅର୍ଜୁନ ଲୁଚି ରହିଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ପୁଲିସ ଟିମ୍ ସେଠାରେ ଚଢ଼ାଉ କରିବା ସମୟରେ ଅର୍ଜୁନ ନିଜକୁ ବଞ୍ଚାଇବା ପାଇଁ ପୁଲିସ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲା।
ପୁଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ କରାଯାଇଥିବା ପାଲଟା ଗୁଳିଚାଳନାରେ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଘଟଣାସ୍ଥଳରୁ ତାକୁ କାବୁ କରି ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଗିରଫ ଅର୍ଜୁନ ପ୍ରଧାନ ଯାଜପୁର ଜିଲ୍ଲା ଯଖପୁରା ଥାନା ଅଧୀନ ଦଶମାଣିଆ ଗ୍ରାମର ବାସିନ୍ଦା ଅଟେ। ଗତ ସେପ୍ଟେମ୍ବର ୨୭ ତାରିଖରେ କେନ୍ଦୁଝର ସୋସୋ ଥାନା ଅନ୍ତର୍ଗତ ବନ୍ତଳା ଗାଁ ନିକଟରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟ୍ ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲା।
ଏହି ଘଟଣା ପରଠାରୁ ସେ ପୁଲିସକୁ ଚକମା ଦେଇ ଫେରାର ଥିଲା। ଡକାୟତି, ହତ୍ୟା ଉଦ୍ୟମ ଓ ବନ୍ଧୁକ ଚାଳନା ଭଳି ମାମଲାରେ ପୁଲିସକୁ ଦୀର୍ଘ ଦିନରୁ ତାର ଖୋଜ୍ଖବର ଥିଲା। ଏହି ସଫଳ ଏନ୍କାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇବା ସହ ପୁଲିସର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।