ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାର। କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଦୁର୍ବିପାକ ପରିଚାଳନା କମିଟି ବୈଠକରେ ଓଡ଼ିଶାର ମୁଖ୍ୟ ସଚିବ ଅନୁ ଗାର୍ଗ ରାଜ୍ୟର ସମ୍ପୂର୍ଣ୍ଣ ସଜାଗତା ଓ ସୁରକ୍ଷା ପଦକ୍ଷେପ ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇଛନ୍ତି।
ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେଠାରେ ସ୍ଥିତି ନିୟନ୍ତ୍ରଣ ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସୁରକ୍ଷା ଏବଂ ନିରବଚ୍ଛିନ୍ନ ଚିକିତ୍ସା ସେବା ପାଇଁ ବାତ୍ୟା ଆସିବା ପୂର୍ବରୁ ୩,୦୦୦ ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ସମୁଦ୍ର ମଧ୍ୟକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଉପକୂଳକୁ ଫେରିଆସିଥିବା ବେଳେ କୋଷ୍ଟଗାର୍ଡ ସମୁଦ୍ର ପଥରେ କଡ଼ା ନଜର ରଖିଛି। ସମ୍ଭାବ୍ୟ କ୍ଷୟକ୍ଷତି ପରେ ତୁରନ୍ତ ପୁନରୁଦ୍ଧାର ପାଇଁ ବିଦ୍ୟୁତ୍ ଏବଂ ଜଳସମ୍ପଦ ବିଭାଗକୁ ୨୪ ଘଣ୍ଟିଆ ଆଲର୍ଟରେ ରଖାଯାଇଛି।
ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ଯେ, ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବା ପରେ ଛତିଶଗଡ଼ର ବସ୍ତର ଅଞ୍ଚଳ ଆଡ଼କୁ ଗତି କରିବ, ଯାହାଦ୍ୱାରା ସେଠାରେ ପ୍ରବଳ ବର୍ଷା ହୋଇପାରେ। ବନ୍ୟା ଜଳ ଓ ଡ୍ୟାମ୍ରୁ ଜଳ ନିଷ୍କାସନ ଉପରେ କଡ଼ା ନଜର ରଖିବା ପାଇଁ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସମନ୍ୱୟ ଟିମ୍ ଗଠନ କରାଯାଇଛି, ଯାହାଦ୍ୱାରା ଜଳ ଛାଡ଼ିବା ପୂର୍ବରୁ ଆଗୁଆ ସୂଚନା ମିଳିପାରିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ବାତ୍ୟା ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।