ଭୁବନେଶ୍ୱର: ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ଦ୍ୱାରା ପ୍ରକାଶିତ ୭,୨୬୮ଟି ପଦବୀର ନିଯୁକ୍ତି ବିଜ୍ଞପ୍ତିକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ। ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC) କାଟାଗୋରୀ ପାଇଁ ଆରକ୍ଷଣରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଶହ ଶହ ଚାକିରି ଆଶାୟୀ ସୋମବାର ଭୁବନେଶ୍ୱରସ୍ଥିତ OUSSSC କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ରାଜ୍ୟ ସରକାର SEBC କାଟାଗୋରୀ ପାଇଁ ୧୧.୨୫ ପ୍ରତିଶତ ଆରକ୍ଷଣ ଘୋଷଣା କରିଥିବା ବେଳେ ପ୍ରକାଶିତ ବିଜ୍ଞପ୍ତିରେ ଏହାକୁ ସଠିକ୍ ଭାବେ ଲାଗୁ କରାଯାଇ ନାହିଁ। ଆଶାୟୀଙ୍କ କହିବା ଅନୁଯାୟୀ, ମୋଟ ପଦବୀର ମାତ୍ର ୨.୦୧୪ ପ୍ରତିଶତ SEBC ଭାଗରେ ପଡ଼ିଛି।
NSUI ଓଡ଼ିଶା ଶାଖାର କାମଚଳା ସଭାପତି ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ଯେ, ୪,୨୧୯ଟି କନଷ୍ଟେବଳ (ସିଭିଲ୍) ପଦବୀ ମଧ୍ୟରୁ ୧୧.୨୫% ଆରକ୍ଷଣ ହିସାବରେ SEBC କାଟାଗୋରୀକୁ ପ୍ରାୟ ୪୭୪ଟି ପଦବୀ ମିଳିବା କଥା, କିନ୍ତୁ ବିଜ୍ଞପ୍ତିରେ ମାତ୍ର ୮୫ଟି ପଦବୀ ରଖାଯାଇଛି।
୨୦୧୬ ପରେ ଦୀର୍ଘ ୧୦ ବର୍ଷ ଧରି ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ (OISF) ରେ କନଷ୍ଟେବଳ ନିଯୁକ୍ତି ହୋଇନଥିବାରୁ ଏହାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।
ଆନ୍ଦୋଳନକାରୀମାନେ ବର୍ତ୍ତମାନର ବିଜ୍ଞପ୍ତିକୁ ତୁରନ୍ତ ବାତିଲ କରି ତ୍ରୁଟି ସଂଶୋଧନ ପୂର୍ବକ ନୂତନ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରିଛନ୍ତି। ଯଦି କମିଶନ ତୁରନ୍ତ ଏହାସବୁ ସଂଶୋଧନ ନକରନ୍ତି, ତେବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଜ୍ଞପ୍ତିକୁ ଆଇନଗତ ଆହ୍ୱାନ ଦିଆଯିବ ବୋଲି NSUI ଚେତାବନୀ ଦେଇଛି। ଏହି ଅଭିଯୋଗ ସମ୍ପର୍କରେ OUSSSC ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।