ଭୁବନେଶ୍ୱର: ପ୍ରକୃତି କୋଳରେ ପ୍ରତ୍ୟେକ ଋତୁର ରହିଛି ନିଜର ଏକ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ। ବର୍ଷା ବିଦାୟ ନେବା ପରେ ଯେତେବେଳେ ଆକାଶ ନିର୍ମଳ ହୁଏ, ସେତେବେଳେ ଶରତର ଆଗମନରେ ହସିଉଠେ ଧରାପୃଷ୍ଠ। ବିଲବାଡ଼ି, ରାସ୍ତାକଡ଼ ଓ ନଦୀପଠାରେ ଧଳା କାଶତଣ୍ଡି ଫୁଲର ଲହଡ଼ି ସତେ ଯେପରି ଧରଣୀ ମାତାଙ୍କୁ ଶୁଭ୍ର ବସ୍ତ୍ର ପିନ୍ଧାଇ ଦେଇଥାଏ।
କିନ୍ତୁ କେବଳ ସୌନ୍ଦର୍ଯ୍ୟ ନୁହେଁ, ଏହି କାଶତଣ୍ଡି ବା ‘ବାଢ଼ୁନ ଘାସ’ ଅନେକ ଗରିବ ପରିବାର ପାଇଁ ଜୀବନଜୀବିକାର ଏକ ବଡ଼ ଉତ୍ସ ମଧ୍ୟ ସାଜିଥାଏ। ଶୀତ ଆରମ୍ଭ ହେବା ପୂର୍ବରୁ ଗ୍ରାମାଞ୍ଚଳର ଲୋକମାନେ ଏହାକୁ ସଂଗ୍ରହ କରି ଝାଡ଼ୁ, ମାଛ ଧରିବା ଚୁରିଆ ଏବଂ ମଶିଣା ଆଦି ତିଆରି କରିଥାଆନ୍ତି, ଯାହା ସେମାନଙ୍କ ସଂସାର ଚଳାଇବାରେ ବେଶ୍ ସାହାଯ୍ୟ କରିଥାଏ।
ଶରତ ଓ କାଶତଣ୍ଡିର ଏହି ମିଳନ ଆମକୁ ମା’ ଦୁର୍ଗାଙ୍କ ଧରାବତରଣର ଆଗୁଆ ବାର୍ତ୍ତା ଦେଇଥାଏ। ପବନରେ ଦୋଳାୟମାନ କାଶତଣ୍ଡିକୁ ଦେଖିଲା ବେଳେ ଏପରି ପ୍ରତୀତ ହୁଏ ଯେ, ଯେମିତି ସେ ଚାମର ହଲାଇ ମା’ ଦୁର୍ଗାଙ୍କୁ ସ୍ୱାଗତ କରୁଛି।
ଏକ ମର୍ମସ୍ପର୍ଶୀ ପ୍ରେମ କାହାଣୀ: ଏହି ଶୁଭ୍ର ରେଶମୀ କାଶତଣ୍ଡିକୁ ନେଇ ଏକ ପୁରାଣ ଓ ଲୋକକଥା ମଧ୍ୟ ରହିଛି। କୁହାଯାଏ ଯେ ପ୍ରାଚୀନ କାଳରେ କାଶତଣ୍ଡି ନାମକ ଏକ ଗାଁ ଝିଅ ଓ ରାଜକୁମାରଙ୍କ ପ୍ରେମକୁ ସମାଜ ଗ୍ରହଣ କରିନଥିଲା ଏବଂ ରାଜାଙ୍କ ଆଦେଶରେ ତାଙ୍କୁ ନଦୀପଠାରେ ଜୀବନ୍ତ ପୋତି ଦିଆଯାଇଥିଲା। ମୃତ୍ୟୁ ପୂର୍ବରୁ ସେ ପ୍ରତିଜ୍ଞା କରିଥିଲେ ଯେ ସେ ପ୍ରତିବର୍ଷ ଶରତରେ ଏହି ଫୁଲ ରୂପରେ ଜନ୍ମ ନେବେ ଏବଂ ନିଜ ପ୍ରେମକୁ ଅମର ରଖିବେ।
ତେଣୁ, କାଶତଣ୍ଡି କେବଳ ଏକ ଘାସ ଫୁଲ ନୁହେଁ, ଏହା ପ୍ରକୃତିର ଅମୂଲ୍ୟ ଉପହାର ସାଙ୍ଗେ ଏକ ଶାଶ୍ୱତ ପ୍ରେମର ପ୍ରତୀକ ଅଟେ, ଯାହା ପ୍ରତିଟି ଶରତରେ ଫୁଟି ଆମ ମନରୁ ସବୁ କ୍ରୋଧ ଓ ହିଂସା ଦୂର କରି ପ୍ରେମର ବାର୍ତ୍ତା ବାଣ୍ଟିଥାଏ।